ପାଉଁଜି-ବାସନ୍ତୀ ଲତା ଜେନା


ପୁରାତନ ଯୁଗରୁ ଆଧୁନିକ ଯୁଗ ଯାଏ

ନାରୀ ଅଳଙ୍କାର ପ୍ରିୟ l ଯେତେ ବେଳେ ଝିଅଟିଏ ବାଲ୍ୟଅବସ୍ଥାରେ ସାଙ୍ଗ ସାଥି ମାନଙ୍କ ସହିତ କଣ୍ଢେଇ ଧରି ଖେଳୁ ଥାଏ, ସେତେ ବେଳେ ମିଛି ମିଛିକା କଣ୍ଢେଇ ବାହାଘର କରେ  l କଣ୍ଢେଇକୁ ବଧୂ ବେଶରେ ସଜାଏ  ପତ୍ର ଫୁଲରେ   l  ପାଦରେ ପାଉଁଜି, ନାକରେ ନୂଥ, ହାତରେ ଚୁଡ଼ି, ବେକରେ ହାର  l ନାଲି ରଙ୍ଗର କପଡା ପିନ୍ଧାଇ ନୂଆ ବହୂ ଭଳି ସଜାଇ ଖୁସି ହୁଏ l ବାଲି, ନଡ଼ିଆ ସଢ଼େଇରେ ଭାତ ତିଅଣ ରାନ୍ଧି ଖେଳେ  l ବନ୍ଧୁ ଚର୍ଚ୍ଚା କରେ l
            ଦଶହରା ମାସ ସମୟର କଥା  l ସୁନ୍ଦର ପୁର ଗାଁରେ ଗୋପାଳ କୃଷ୍ଣ ସେନାପତିଙ୍କ ଘର  l ଡାକ୍ତର ଖାନାରେ କିରାଣୀ ଭାବରେ କାମ କରନ୍ତି l ଗୋପାଳକୃଷ୍ଣଙ୍କର ଦୁଇଟି ଝିଅ  ଓ ଗୋଟିଏ ପୁଅ l ବାପା ମା ସ୍ତ୍ରୀକୁ ନେଇ ତାଙ୍କର ସୁଖି ପରିବାର  l
          ଦିନେ ଗୋପାଳକୃଷ୍ଣଙ୍କର ପତ୍ନୀ ପ୍ରତିମା କହିଲା , ତୁମ ପାଖରେ ପଇସା ଅଛି  ? ବଡ଼ ଝିଅ ( ଅନିତା ) ପାଇଁ ପାଉଁଜି ହଳେ କିଣି ଥାନ୍ତି  l ଏ କଥା ଶୁଣି ଅନୀତାର ଜେଜେମା କହିଲେ ହଁ ରେ ବାବୁ, ଦୁଇ ଝିଅ ପାଇଁ ଦୁଇ ହଳ ପାଉଁଜି ଆଣିଦେ l ଖାଲି ପାଦ କରି ବୁଲୁଛନ୍ତି l ଭଲ ଲାଗୁନି l ହଁ, ପାଉଁଜିର ଘୁଙ୍ଗୁର ଲାଗିଥିବ ଯେମିତି l ଚାଲିଲେ ରୁଣୁଝୁଣୁ ଶୁଭୁ ଥିବ l ପ୍ରତିମା ତାର ଶାଶୁଙ୍କୁ କହିଲା ମା' ଅନିତା ପାଇଁ ଆଣନ୍ତୁ, ପରେ ସୁନିତା ପାଇଁ ଆଣିବେ l ଏକାବେଳେକେ ଦୁଇ ଜଣଙ୍କ ପାଇଁ ଆଣିବାକୁ ପଇସା ହବନି  l ଗୋପାଳ ବାବୁ ସବୁ ଶୁଣୁ ଥାନ୍ତି l କିଛି ନ କହି ହସି ଦେଇ ଚାଲି ଗଲେ l ଏ କଥାକୁ ସେ ମନେ ରଖିଥାନ୍ତି l
            ମାସ ଶେଷରେ ଟଙ୍କା ଆସିବ କୁଆଡୁ ଯେ ସଙ୍ଗେ ସଙ୍ଗେ ପାଉଁଜି ଆଣିଦେବେ  ? ମାସ ପୂରିଲା l ପଞ୍ଚ ତାରିଖରେ ଦରମା ଟଙ୍କା ହାତକୁ ଆସିଲା l  ଗୋପାଳ ବାବୁ ଦୁଇ ଝିଅଙ୍କ ପାଇଁ ପାଉଁଜି କିଣିଲେ l
ଘରକୁ ଆସି ମାଙ୍କ ହାତରେ ଦେଇ କହିଲେ, ମା  l ଏଇ ନେ   l ତୋ ନାତୁଣୀ ପାଇଁ ପାଉଁଜି ଆଣି ଦେଇଛି  l ତାଙ୍କୁ ନେଇ ଦିଅ  l ଜେଜେମା ଖୁସି ହୋଇଗଲା l ଦୁଇ ଭଉଣୀଙ୍କୁ ଏକା ଥରେ ଡାକ ପକାଇଲା  l ଅନିତା, ସୁନିତା, ଅସଲୋ  l ତୁମ ପାଇଁ ତୁମ ବାପା ପାଉଁଜି ଆଣିଛି  l ଜେଜେମାର ଡାକ ଶୁଣି ଅନିତା ସୁନିତା ଦୌଡ଼ି ଆସିଲେ l  ଶାଶୁ ପଦ୍ମl  ତାର ବହୂକୁ କହିଲା, ଏଇ ନେ ! ଦୁହିଁଙ୍କୁ ପିନ୍ଧାଇ ଦେ l ଯେମିତି ପାଦରୁ ନ ଖସି ଯିବ l ପ୍ରତିମା ପାଉଁଜି ଦୁଇ ଝିଅଙ୍କୁ ପିନ୍ଧାଇ ଦେଲା  l ପଦ୍ମା ଅଳତା କାଚ ଆଣି ପ୍ରତିମାକୁ ଦେଲା l କହିଲା, ଆଜି ଦେବୀ ମାଙ୍କର ସପ୍ତମୀ ପୂଜା  l ଅନିତା ସୁନିତାକୁ ଅଳତା ପିନ୍ଧାଇ ଦେ l ତୁ ବି ଟିକେ ଅଳତା ପିନ୍ଧି ପକା  l
           ପ୍ରତିମା ଦୁଇ ଝିଅଙ୍କୁ ଅଳତା ପିନ୍ଧାଇ ଦେଲା l ଜେଜେମା କହିଲା, ମୋ ନାତୁଣୀର ପାଦ କେଡେ ସୁନ୍ଦର ଦିଶୁଛି  l ଚମ୍ପା ଫୁଲିଆ ଗୋରା ପାଦକୁ ନାଲି ଅଳତା  l ଧଳା ପାଉଁଜି ଭାରି ମାନୁଛି  l ତାକୁ ଟିକେ କଳା ଟୀକା ଲଗାଇ ଦେଲୋ  l ନ ହେଲେ ଦୃଷ୍ଟି ପଡି ଯିବ l  ଅନିତା କହିଲା ମା, ମୁଁ  ଯାଉଛି ମୋ ସାଙ୍ଗ ବିମଳାକୁ ଦେଖଇ ଆସିବି l କହି ଚାଲିଗଲା ସାହି ଭିତରକୁ  l ଖାଲି କଣ ବିମଳାକୁ ଦେଖାଇଲା ?  ତାହା ନୁହେଁ l ସାହିର କେତେ ଜଣ ପରିଚିତ ଘରକୁ ଯାଇ କହିଲା, ଦେଖ ମୋ ବାପା ମୋ ପାଇଁ ପାଉଁଜି ଆଣି ଦେଇଛନ୍ତି  l କିଏ ଯଦି କହି ଦେଉଥିଲା, ହଁ ଲୋ ଝିଅ  l ତୋ ପାଦକୁ ସୁନ୍ଦର ଦିଶୁଛି  l ସେ ଖୁସିରେ ଅଧିରା ହୋଇ ଯାଉ ଥିଲା  l ଆଜି ଅନିତା ବଡ଼ ହୋଇ ଯାଇଛି  l କିନ୍ତୁ ଭୁଲି ପାରିନି ସେ ବାପା ଆଣିଥିବା ପ୍ରଥମ ପାଦ ପାଉଁଜିକୁ l ଛୋଟ ଛୋଟ ଜିନିଷର ସେ ବହୁତ ଆନନ୍ଦ ପାଉଥିଲା  l ପିଲା ଦିନର ସ୍ମୃତି ସତରେ ଅବିସ୍ମରଣୀୟ l ନା ମନରେ ଥାଏ ଛନ୍ଦ କପଟ  l ନା ବେଶୀ କିଛି ପାଇବାର ଆଶା  l ଯାହା ମିଳୁ ଥିଲା, ଯେତିକି ମିଳୁଥିଲା, ସେତିକିରେ ଖୁସି  ହୋଇ ଯାଉଥିଲା  l ଆଜି ବଡ଼ ହୋଇ ଯାଇଛି ସେ, ଖୁସି ମିଳୁନି କାହିଁକି   ?  ଅନିତା ମନେ ମନେ ଭାବି ବସିଛି   l

ଗାନ୍ଧୀନଗର, ପୋଷ୍ଟ /ଜିଲ୍ଲା :ନବରଙ୍ଗପୁର


Comments

Popular posts from this blog

ମହାଳୟା ଦିବସରେ - ସୁକାନ୍ତ ଖଣ୍ଡା

ଶାଳୀନତା- କଳ୍ପନା ରାୟ

ଘରଭାଙ୍ଗି-ସ୍ୱାଗତିକା ନାୟକ